ଝାରସୁଗୁଡା ପୋଲିସର ସଫଳତା ;ବେଦାନ୍ତ କମ୍ପାନୀର ଆଲୁମିନା ବାରକୁ ଚୋରୀ ଉଦ୍ୟମ ପଣ୍ଡ ; ଟ୍ରକ ସହ ହାଓଡାରୁ ଜବତ ହେଲା ୫୫ଲକ୍ଷର ଆଲୁମିନା

ଝାରସୁଗୁଡା ୦୩/୭ (ଶ୍ରୁମି) ଝାରସୁଗୁଡା ପୋଲିସକୁ ମିଳିଛି ବଡ ସଫଳତା। ପଣ୍ଡ କରିଛନ୍ତି ବେଦାନ୍ତ କମ୍ପାନୀର ଆଲୁମିନା ବାରକୁ ଚୋରୀ ଉଦ୍ୟମ । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଦାନ୍ତ କମ୍ପାନୀରୁ ଖଡଗପୁର ସେଞ୍ଚୁରୀ ଏକ୍ସଟ୍ରୁଜନ କମ୍ପାନୀ କୁ ଝାରସୁଗୁଡା ର ସୁପ୍ରିମ ଟ୍ରାନ୍ସପୋର୍ଟ ଜରିଆରେ ଜୁଲାଇ ୧୭ ତାରିଖ ଦିନ ୨୦.୯୫ ମେଟ୍ରିକ ଟନର ଆଲୁମିନିୟମ ବାର ଟ୍ରକ ନଂ ଡବ୍ଲୁବି-୧୧ସି-୩୫୩୭ ରେ ଟ୍ରାନ୍ସପୋର୍ଟ କରାଯାଇଥିଲା । କିନ୍ତୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ନିର୍ଧାରିତ ସ୍ଥାନରେ ଏହି ଆଲୁମିନିୟମ ରଡ ଯାହାର ମୂଲ୍ୟ ୫୫ ଲକ୍ଷ ,ତାହା ପହଞ୍ଚିନଥିଲା କି ଡ୍ରେସ ଡ୍ରାଇଭର ସଚିନ୍ଦ୍ରର ଫୋନ ଲାଗିନଥିଲା । ଶେଷରେ ଟ୍ରାନ୍ସପୋର୍ଟିଂ କମ୍ପାନୀ ବଡମାଳ ଥାନାରେ ଜୁଲାଇ ୨୯ ତାରିଖ ଚୋରୀ ମାମଲା ଦାୟର କରିବା ପରେ ଝାରସୁଗୁଡା ପୋଲିସ ବଡମାଳ ଆଇଆଇସି ଅମିତାଭ ପଣ୍ଡା, ଝାରସୁଗୁଡା ଏସଡିପିଓ ନିର୍ମଳ କୁମାର ମହାପାତ୍ର, ବ୍ରଜରାଜନଗର ଏସ ଆଇ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ ଓ ବଡମାଳ ଥାନାର କୁଞ୍ଜ ବିହାରୀ ସାହୁଙ୍କୁ ନେଇ ଚାରିଜଣିଆ ଟିମ ଗଠନ କରି ପଶ୍ଚିମବଙ୍ଗ ପଠେଇଥିଲା । ସେଠାରେ ଏହି ଟିମ ପହଞ୍ଚି ଅଭିଯୁକ୍ତ ଡ୍ରାଇଭରକୁ ଧରିବାରେ ସଫଳ ହୋଇଥିଲା । ଏହାସହ ଧୁଲାଗଡ ଠାରୁ ଚୋରୀ ହୋଇଥିବା ସମସ୍ତ ୨୦.୫୯ ଟନର ଆଲମୁନିୟମ ସହ ଟ୍ରକକୁ ଜବତ କରିଥିଲା । ଟ୍ରକ ର ନଂ ପ୍ଲେଟକୁ ବଦଳା ଯାଇଥିବା ସତ୍ତ୍ବେ ପୋଲିସ ଏହାକୁ ଠାବ କରିପାରିଥିଲା । ଏହି ଚୋରୀରେ ସମ୍ପୃକ୍ତ ଟ୍ରକର ମାଲିକ ଓ ଅନ୍ୟ ଜଣେ ଡ୍ରାଇଭର ଫେରାର ଅଛନ୍ତି । ଏହି ସମାନ ନଂ ଟ୍ରକରେ ହଳଦିଆ ପୋର୍ଟରୁ ଗତ ମାସ ୨୭ ତାରିଖରେ ରୁଚି କମ୍ପାନୀର ଖାଇବା ତେଲ ନେଇ ବିହାର ର ମୁଜାଫରପୁର ଯାଉଥିବା ସମସ୍ତ ତେଲ ମଧ୍ୟ ଚୋରୀ ହୋଇଥିବା ହଳଦିଆ ର ଡଙ୍ଗାଚୌକ ଥାନାରେ ଅଭିଯୋଗ ହୋଇଛି । ଅର୍ଥାତ ଏହା ଏକ ବଡ ଧରଣର ଟ୍ରକ ଯୋଗେ ଆନ୍ତରାଜ୍ୟ ଲୁଟେରା ସଂସ୍ଥା ଯାହାକୁ ଝାରସୁଗୁଡ଼ା ପୋଲିସ ଧରିବାରେ ସଫଳ ହୋଇଛି । ଏହି ସମସ୍ତ ତଥ୍ୟ ସୋମବାର ଝାରସୁଗୁଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *