ବିଫଳ ହେଲା କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରବର୍ତ୍ତୀ ଆଲୋଚନା ଆସନ୍ତା ୯ ତାରିଖ

ବିଫଳ ହେଲା କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା । ଫିଟିଲାନି କୃଷକ ଆନ୍ଦୋଳନକୁ ପ୍ରଶମିତ କରିବାର ବାଟ । ଦିଲ୍ଲୀବାସୀଙ୍କ ସମସ୍ୟା କମ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ପୂର୍ବରୁ ୪ର୍ଥ ପର୍ଯ୍ୟାୟରେ ଉଭୟ ପକ୍ଷ ସକାରାତ୍ମକ ଆଲୋଚନା କରିଥିବା ବେଳେ ହଠାତ ପଞ୍ଜମ ପର୍ଯ୍ୟାୟ ଆଲୋଚନାରେ ଦିଲ୍ଲୀର ବିଜ୍ଞାନ ଭବନରେ ସନିବାର କୃଷକ ସଂଗଠନ ମାନେ ସରକାର ନିସର୍ତ୍ତ ତିନୋଟି ବିଲ ପ୍ରତ୍ୟାହାର କରିବା ଜିଦରେ ଅଡି ବସିବାରୁ ଏହାର ସମାଧାନ ହୋଇପାରିଲା ନାହିଁ । ଏଥିସହ ପୁଣି ଆଉ ଏକ ତାରିଖକୁ ଅପେକ୍ଷା କରିବାକୁ ପଡିବ । ଦୁଇପକ୍ଷ ମଧ୍ୟରେ ଆସନ୍ତା ଆଲୋଚନା ଆସନ୍ତା ୯ ତାରିଖରେ ହେବ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶଙ୍କ ସହ ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନା କରିଥିଲେ । ବୈଠକ ଦିନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ହେଲା କିନ୍ତୁ କୌଣସି ସୁଫଳ ମିଳିଲାନି । ବୈଠକ ପରେ ଆନ୍ଦୋଳନକାରୀ କୃଷକ ସଂଗଠନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେମାନଙ୍କ ଆନ୍ଦୋଳନ ଜାରି ରହିବ । ସେମାନେ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ଦେଶବ୍ୟାପି ଭାରତ ବନ୍ଦ ଡାକରା ଦେଇଛନ୍ତି ତାହାକୁ ସଫଳ କରାଇବେ । ଅଲୋଚନା ପରେ କୃଷିମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ, ମୋଦି ସରକାର କେବେବି କୃଷକ ବିରୋଧି ହୋଇନାହାଁନ୍ତି ଯାହାବି ଆଇନ ହେଉଛି ତାହା କେବଳ କୃଷକଙ୍କ ପାଇଁ । କୃଷକମାନେ ବୟୋଜ୍ୟେଷ୍ଠ ଓ ଛୋଟପିଲାଙ୍କୁ ଏ ହାଡଭଙ୍ଗା ଶୀତରେ ନରଖି ଘରକୁ ପଠାଇ ଦିଅନ୍ତ୍‌ୁ ଓ ଯୁବକମାନେ ଆନ୍ଦୋଳନରେ ଅନୁଶାସନରେ ରହି ଆନ୍ଦୋଳନ ଜାରି ରଖିବା ସହ ସମାଧାନର ପନ୍ଥା ମଧ୍ୟ ବିଚାର କରନ୍ତୁ । ବୈଷୟିକ ଜ୍ଞାନ କୌଶଳର ଲାଭ କିପରି କୃଷକ ମାନେ ଉଠାଇବେ ବିଶେଷକରି କୃଷିଜାତ ଦ୍ରବ୍ୟର ପ୍ରକ୍ରିୟା କରଣ ହୋଇପାରିଲେ କୃଷକ ଶଶକ୍ତ ହୋଇପାରିବ । ଗ୍ରାମୀଣ ଭାରତ ଶଶକ୍ତ ହେଲେ ଏହା ଆତ୍ମନିର୍ଭର ଭାରତ କରିବାରେ ସହାୟକ ହେବ । କୃଷକଙ୍କ ହିତ ପ୍ରତି ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ । ଯାହା ହେବ କେବଳ କୃଷକଙ୍କ ହିତ ପ୍ରତି ହେବ । କୃଷକମାନଙ୍କୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି ଯେ, ନୂତନ କୃଷି ଆଇନରେ କେଉଁ ବିନ୍ଦୁ ବା ବିଷୟରେ ସେମାନଙ୍କ ଶଙ୍କା ରହିଛି ତାହାକୁ ସରକାର ଦୁର କରିବାକୁ ପ୍ରସ୍ତୁତ । ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନିବାସରେ ଏହି ତିନି ମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପ୍ରଧାନମନ୍ତ୍ରୀ ଆନ୍ଦୋଳନର ସମାଧାନ ପନ୍ଥା ସମ୍ପର୍କରେ ବିଚାର ବିମର୍ଷ କରି ସରକାର ଲିଖିତ ମାଧ୍ୟମରେ ଏମଏସପିକୁ ଉଚ୍ଛେଦ କରାଯିବ ନାହିଁ ବୋଲି ଆଇନ ଆଣିବା ପାଇଁ ମଧ୍ୟ ଏକ ପ୍ରକାର ରାଜି ହୋଇଥିଲେ ବୋଲି ସୂତ୍ରରୁ ପ୍ରକାଶ । କିନ୍ତୁ ଆନ୍ଦୋଳନ ପ୍ରତ୍ୟାହାର ନକରିବା ପାଇଁ କୃଷକଙ୍କ ଜିଦ କାରଣରୁ ଏହା ମଧ୍ୟ ଘୋଷଣା ହୋଇପାରିଲା ନାହିଁ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *